31/03/2026
ଜୀବନ ଯାତ୍ରା ଏବଂ ସେବା ର ଏକ ନିଛକ ଉଦାହରଣ.....
ଅପରାହ୍ନ ସମୟ , ପାଣିକୋଇଲି ଛକ ଠାରେ ବସ୍ କୁ ଅପେକ୍ଷା କରି ରହିଥାନ୍ତି ଦୁଇଜଣ ଭିନ୍ନକ୍ଷମ ଦୃଷ୍ଟିହୀନ ଦମ୍ପତି ଏବଂ କୋଳ ରେ ଥାଏ ୮ ମାସର ଏକ କୁନି ଶିଶୁପୁତ୍ର। କୁନି ଶିଶୁ ଟି ବାପା ର କୋଳ ରେ ବେଶ୍ ଆରାମରେ ଖେଳୁଥାଏ। ଚାହୁଁ ଚାହୁଁ ହଠାତ୍ ମାଡି ଆସିଲା କାଳବୈଶାଖୀ ବର୍ଷା ସହ ପବନ। ଏହି ସମୟ ରେ ଦୃଷ୍ଟିହୀନ ଦମ୍ପତି ଦୁଇଜଣ କୁନି ଛୁଆ ଟିକୁ ନେଇ କୁଆଡେ ଯିବେ କିଛି ଭାବି ପାରିନଥିଲେ। ସତେ ଯେପରି ନିଜର ଅସହାୟତା ଏବଂ ସେହି ବର୍ଷା ପବନ ଆଗରେ ହାର ମାନି ଯାଉଥିଲେ। ଉଭୟ ପ୍ରବଳ ବର୍ଷା ପବନ ଘଡଘଡି ବେଳେ କୁନି ଛୁଆଟିକୁ କୋଳରେ ଧରି ସେହିପରି ଭାବେ ଭଗବାନ ଙ୍କୁ ଭରଷା କରି ପାଣିକୋଇଲି ଛକ ରେ ଥିବା ବସଷ୍ଟପ୍ ଭିତରେ ମୁଣ୍ଡ ଗୁଞ୍ଜି ରହିଥିଲେ। ଅପରାହ୍ନ ଯାଇ ସନ୍ଧ୍ୟା ହେଲା, ଏବଂ ବର୍ଷା ପବନ ଟିକେ ଛାଡିବା ପରେ ସେମାନଙ୍କୁ ଏହିପରି ଭାବରେ ଅସହାୟ ଅବସ୍ଥାରେ ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବଗୋଷ୍ଠୀ ପାଣିକୋଇଲି ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ କୁମାର ମହାନ୍ତି ସାର୍ ଙ୍କୁ ଯୋଗାଯୋଗ କରି ସମସ୍ତ ଘଟଣା ବିଷୟ ରେ ଅବଗତ କରାଇଥିଲେ। ଏନେଇ ସୂଚନା ପାଇବା ପରେ ଶ୍ରୀ ମହାନ୍ତି ତତକ୍ଷଣାତ୍ ସେଠାରେ ଆସି ଦେବଦୂତ ପରି ପହଞ୍ଚି ଥିଲେ। ଉଭୟ ଦୃଷ୍ଟିହୀନ ଦମ୍ପତି ଙ୍କ ଠାରୁ ସେମାନ ଙ୍କ ଅସୁବିଧା ସମ୍ପର୍କ ରେ ଅବଗତ ହେବା ସହ ସେମାନଙ୍କ ଘର ଠିକଣା ପଚାରି ବୁଝିଥିଲେ। ଏଥିସହିତ ସେମାନଙ୍କ ର କୁନି ଶିଶୁପୁତ୍ର ଟିକୁ ମଧ୍ୟ କୋଳରେ ଧରି ତା ସହ କିଛି ସମୟ ଖେଳିଥିଲେ। ଏହାପରେ ସେମାନଙ୍କ ପାଇଁ ଖାଦ୍ୟପେୟ ଏବଂ ନୂତନ ବସ୍ତ୍ର ର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ (4,500) ଟଙ୍କା ସହାୟତା ପ୍ରଦାନ କରି ଉଭୟ ଙ୍କୁ ତାଙ୍କ ଠିକଣା ଅନୁଯାୟୀ ବାଲେଶ୍ବର ସ୍ଥିତ ଭୋଗରାଇ ଅଞ୍ଚଳ କୁ ଏକ ଘରେଇ ବସ୍ ଯୋଗେ ପଠାଇଥିଲେ। ତେବେ ଅନେକ ସମୟରେ ଅସହାୟ ତଥା ଭିନ୍ନକ୍ଷମ ଓ ଦୃଷ୍ଟିହୀନ ଙ୍କୁ ସାହାଯ୍ୟ କରୁଥିବା ଥାନା ଅଧିକାରୀ ଶ୍ରୀ ମହାନ୍ତି ପୁଣିଥରେ ନିଜର ବଦାନ୍ୟତା ପ୍ରତିପାଦନ କରିଛନ୍ତି। ପେଶା ତାଙ୍କ ର ଜଣେ ପୁଲିସ ଅଧିକାରୀ କିନ୍ତୁ ଅସୁବିଧା ରେ ଥିବା ମଣିଷ ଙ୍କୁ ସାହାଯ୍ୟ କରିବା ତାଙ୍କ ର ନିଶା ପାଲଟି ଯାଇଛି।