09/08/2023
ସିଆଇଟିରେ ସ୍ବକଳ୍ପ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ ଚମ୍ପେଶ୍ୱର, ୯/୮:
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ଦ୍ବାରା ପରିଚାଳିତ ସ୍କିଲ୍ଡ ଇନ୍ ଓଡ଼ିଶା ଅନ୍ତର୍ଗତ 'ସ୍ବକଳ୍ପ' ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚମ୍ପେଶ୍ବରସ୍ଥିତ ଚମ୍ପାନାଥ ବୈଷୟିକ ଶିକ୍ଷାନୁଷ୍ଠାନ(ସିଆଇଟି) ସମ୍ମିଳନୀ କକ୍ଷରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପଣ୍ଡା ନିଜ ଅଭିଭାଷଣରେ ସଙ୍କଳ୍ପ ବଳରେ ସ୍ବକଳ୍ପ ପ୍ରକଳ୍ପ ସଫଳ ହେବ ବୋଲି ମତ ଦେଇଥିଲେ। ଯୁବପୀଢୀ ନିଷ୍ଠାପର ଉଦ୍ୟମ କଲେ ଅସାଧ୍ୟ ସାଧନ ହୋଇ ପାରିବ ବୋଲି ସମ୍ମାନୀତ ଅତିଥି ବିଶିଷ୍ଟ ଶିକ୍ଷାବିତ କୁଳମଣି ବାରିକି ମତ ରଖିଥିଲେ଼। ସହଯୋଗୀ ସଂସ୍ଥା ଗ୍ରାମ ଉତ୍ଥାନର ଦୁଇ ବୈଷୟିକ ଅଧିକାରୀ ବ୍ରିଜେଶ ଦାଶ ଓ ଗୁରୁ ପ୍ରସାଦ ମହାନ୍ତି ଉପସ୍ଥିତ ଯୁବ ଉଦ୍ୟୋଗୀଙ୍କୁ ମାର୍ଗଦର୍ଶନ କରାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୬ ଦିନ ଧରି ତାଲିମ ଚାଲିବ ଏବଂ ଉତ୍ତୀର୍ଣ୍ଣ ଯୁବକଯୁବତୀଙ୍କୁ ୬ ମାସ ପର୍ଯ୍ୟନ୍ତ ବୈଷୟିକ ସହାୟତା ଯୋଗାଇ ସଫଳ ଉଦ୍ୟୋଗୀରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ। ସିଆଇଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥିମାନଙ୍କୁ ପ୍ରଥମେ ଆନୁଷ୍ଠାନିକ ଭାବେ ସ୍ବାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଯୁବକଯୁବତୀ ଯୋଗ ଦେଇଥିଲେ। ଚମ୍ପାନାଥ ଆଇଟିସି ଅଧ୍ୟକ୍ଷ ବିକ୍ରମ ବେହେରାଙ୍କ ସମେତ ଶେଷଦେବ ଭଟ୍ଟ, ଶ୍ରୀକାନ୍ତ ଦାସ, ମନୋଜ ପଣ୍ଡା, ସୁର ନାରାୟଣ ବାରିକ, ପ୍ରାଣକୃଷ୍ଣ ଭୋଳ, ଦୁଃଖବନ୍ଧୁ ଦାସ, ରମେଶ ଚନ୍ଦ୍ର ଓ କୁବେର ଗୋଛି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।