14/05/2026
ଲକ୍ଷ ଲକ୍ଷ କାରିଗରଙ୍କ ଜୀବିକା ପ୍ରତି ବିପଦ: ସୁନା ନ କିଣିବା ଅପିଲର ବାସ୍ତବତା
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଗତକାଲିର ଅପିଲ — "୧ ବର୍ଷ ପର୍ଯ୍ୟନ୍ତ ଦେଶବାସୀ ସୁନା କିଣନ୍ତୁ ନାହିଁ" — ଶୁଣିବାକୁ ସରଳ ଲାଗିଲେ ବି ଏହାର ପ୍ରଭାବ ଅତି ଗଭୀର ଓ ବ୍ୟାପକ। ଏହା କେବଳ ଏକ ଆର୍ଥିକ ନିଷ୍ପତ୍ତି ନୁହେଁ, ବରଂ ଲକ୍ଷ ଲକ୍ଷ ଗରିବ ପରିବାରର ଚୁଲି ଉପରେ ସିଧାସଳଖ ଆକ୍ରମଣ।
୧. ସୁନା କେବଳ ଅଳଙ୍କାର ନୁହେଁ, ଜୀବିକା
ଆମ ଦେଶରେ ସୁନାକୁ କେବଳ ଧନୀଙ୍କ ସୌକ ବା ନିବେଶ ଭାବେ ଦେଖିବା ସବୁଠାରୁ ବଡ ଭୁଲ। ଓଡ଼ିଶାର କଟକ, ଖଣ୍ଡପଡା, ବ୍ରହ୍ମପୁର ଠାରୁ ଆରମ୍ଭ କରି ରାଜସ୍ଥାନ, ବଙ୍ଗଳା, ତାମିଲନାଡୁ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ପ୍ରାୟ ୫ ଲକ୍ଷରୁ ଅଧିକ କାରିଗର ଅଛନ୍ତି ଯେଉଁମାନେ ପିଢ଼ି ପିଢ଼ି ଧରି କେବଳ ସୁନା କାମ ଉପରେ ନିର୍ଭରଶୀଳ। ଏମାନେ କୌଣସି ବଡ କମ୍ପାନୀର ଚାକିରିଆ ନୁହଁନ୍ତି। ଏମାନେ ଦୈନିକ ମଜୁରୀରେ କାମ କରୁଥିବା ସେହି କାରିଗର, ଯେଉଁମାନେ ସକାଳୁ ନିଆଁ ସାମ୍ନାରେ ବସି ରାତି ପର୍ଯ୍ୟନ୍ତ ହାତ ପୋଡି ଫିଲିଗ୍ରୀ, ତାରକସି, ମିନାକାରୀ ଭଳି ଅଦ୍ଭୁତ କଳା ତିଆରି କରନ୍ତି। ଗୋଟିଏ ଦିନ କାମ ନ ମିଳିଲେ ସେଦିନ ଏମାନଙ୍କ ଘରେ ଚୁଲି ଜଳେନାହିଁ।
୨. କାହା ଉପରେ ପଡିବ ପ୍ରକୃତ ବୋଝ?
ବଡ ଜୁଏଲାରୀ ଶୋରୁମ୍ ମାଲିକଙ୍କ ପାଖରେ ବର୍ଷ ବର୍ଷର ସଞ୍ଚିତ ପୁଞ୍ଜି ଅଛି। ସେମାନେ ହୁଏତ ୧ ବର୍ଷ ନୁହେଁ, ୨ ବର୍ଷ ବି ଦୋକାନ ବନ୍ଦ କରି ବସିପାରିବେ। କିନ୍ତୁ ଯେଉଁ ଛୋଟ କାରିଗର ଗ୍ରାମରେ ବସି ୨-୩ ଗ୍ରାମ ସୁନାର ଅର୍ଡର ପାଇଁ ଅପେକ୍ଷା କରେ, ଯାହାର ଦୈନିକ ରୋଜଗାର ୩୦୦-୪୦୦ ଟଙ୍କା, ତା'ର କ'ଣ ହେବ?
ଯଦି ୧ ବର୍ଷ ସୁନା ବିକ୍ରି ବନ୍ଦ ହୋଇଯାଏ:
- ୫୫ ଲକ୍ଷ କାରିଗର ବେରୋଜଗାର ହୋଇଯିବେ।
- ସେମାନଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୨ କୋଟି ପରିବାର ସଦସ୍ୟ ଭୋକିଲା ରହିବେ।
- ଶହ ଶହ ବର୍ଷର ପୁରୁଣା ହସ୍ତଶିଳ୍ପ ଜ୍ଞାନ ସବୁଦିନ ପାଇଁ ଲୋପ ପାଇଯିବ, କାରଣ ଜଣେ କାରିଗର ଥରେ ବୃତ୍ତି ଛାଡିଲେ ତା' ପୁଅ ଆଉ ସେହି କାମକୁ ଫେରିବ ନାହିଁ।
୩. 'ଭୋକାଲ୍ ଫର୍ ଲୋକାଲ୍' ଓ 'ଆତ୍ମନିର୍ଭର ଭାରତ'ର ବିଡମ୍ବନା
ଗୋଟିଏ ପଟେ ସରକାର 'ଭୋକାଲ୍ ଫର୍ ଲୋକାଲ୍' ନାରା ଦେଉଛନ୍ତି, ଆମର ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଞ୍ଚାଇବା କଥା କହୁଛନ୍ତି। ଅନ୍ୟପଟେ ସେହି ହସ୍ତଶିଳ୍ପର ମେରୁଦଣ୍ଡ ଭାଙ୍ଗି ଦେବା ଭଳି ନିଷ୍ପତ୍ତି ନେଉଛନ୍ତି। କଟକର ତାରକସି, ଜୟପୁରର କୁନ୍ଦନ, ବଙ୍ଗଳାର ବାଲୁଚରୀ — ଏସବୁ କେବଳ ଅଳଙ୍କାର ନୁହେଁ, ଏହା ଭାରତର ସଂସ୍କୃତି। ଏହାକୁ ବଞ୍ଚାଇ ରଖିଥିବା କାରିଗରକୁ ଭୋକିଲା ରଖି ଆମେ କି ପ୍ରକାର 'ଆତ୍ମନିର୍ଭର' ହେବା?
ଆମର ପ୍ରଶ୍ନ:
୧. ଏହି ଅପିଲ କରିବା ପୂର୍ବରୁ ସରକାର କ'ଣ ଏହି କାରିଗରମାନଙ୍କ ବିକଳ୍ପ ରୋଜଗାର କଥା ଚିନ୍ତା କରିଥିଲେ?
୨. ଯଦି ସୁନା ଆମଦାନୀ କମାଇବା ଲକ୍ଷ୍ୟ, ତେବେ ସିଧାସଳଖ ଗରିବ କାରିଗରର ପେଟ ଉପରେ ଲାତ ମାରିବା କ'ଣ ଏକମାତ୍ର ଉପାୟ?
୩. ବଡ କର୍ପୋରେଟ୍ ଉପରେ ଟ୍ୟାକ୍ସ ବଢ଼ାଇବା ବଦଳରେ ଦୈନିକ ୩୦୦ ଟଙ୍କା ରୋଜଗାର କରୁଥିବା କାରିଗରର ରୋଜଗାର ଛଡାଇନେବା କେତେଦୂର ଯଥାର୍ଥ?
ଏହା ଏକ ଅପିଲ ନୁହେଁ, ଏହା ହଜାର ହଜାର ବର୍ଷର କଳା ଏବଂ ଲକ୍ଷ ଲକ୍ଷ ଜୀବନ ପାଇଁ ମୃତ୍ୟୁ ପରୱାନା। ଦେଶର ଅର୍ଥନୀତି ସୁଧାରିବାକୁ ଯାଇ ଯଦି ଆମେ ଆମ ନିଜ ଲୋକଙ୍କୁ ହିଁ ମାରିଦେବା, ତେବେ ସେ ବିକାଶ କାହା ପାଇଁ?
ତେଣୁ ସରକାରଙ୍କୁ ଅନୁରୋଧ — ନିଷ୍ପତ୍ତି ଉପରେ ପୁନଃବିଚାର କରନ୍ତୁ। କାରିଗର ବଞ୍ଚିଲେ ହିଁ କଳା ବଞ୍ଚିବ, ଆଉ କଳା ବଞ୍ଚିଲେ ହିଁ ଭାରତ ବଞ୍ଚିବ।
ବ୍ରହ୍ମାନନ୍ଦ ମହାରଣା
ସଭାପତି : ଉତ୍କଳ ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ